To know more about Oriya/Odia language, check Wikipedia or Britannica
Pathika (ପଥିକ)
ଭାବେ, କାହିଁକି ମୁଁ? ଆଉ କେହି ନୁହେଁ!
ଆଉ କେହିବି ନୁହେଁ, ତାହାର ପଥିକ।
ପଥିକ, ସେହି ଅଣଓସାରିଆ ମାଟି ରାସ୍ତାଟିର…
ହେଲେ ରାସ୍ତାତ ଅନେକ!
କିନ୍ତୁ ସେଇଟି କେବଳ ମୋହର।
ରାସ୍ତାଟି ସିନା ମାଟିର, ତଥାପି ଅନେକ ଆଶାର ଗନ୍ତାଘର ।
ଛୋଟ-ବଡ଼ ଖାଲ ଢିପ, ସବୁ ଯେ ସେଇଠି
କିନ୍ତୁ ମୁହିଁ ତାହାର ଏକ ମାତ୍ର ପଥିକ…
ଆଉ ସେସବୁ ମୋହର ।
ହେଲେ ‘ମୁଁ’ ,‘ମୋହର’ - ଏ ସବୁ ଶବ୍ଦର, ଯଥାର୍ଥତା କାହିଁ!
ଯେବେ ସେହି ରାସ୍ତାରେ ଆଉ କେହି ପଥିକ ହି ନାହିଁ!
ଯଦି ଏସବୁର ଯଥାର୍ଥତା ହି ନାହିଁ,
ତେବେ ମୁଁ କେଉଁଥି ପାଇଁ!
ବୋଧ ହୁଏ ମୁଁ କେବଳ ମୋର
ନିଜ ଦୁଃଖ ସୁଖରେ ଜର୍ଜରିତ,
ଏହି ସଂକୀର୍ଣ୍ଣ ମନଟିର ।
Mukta Bihanga (ମୁକ୍ତ ବିହଙ୍ଗ)
ଦୂରେ ବହୁ ଦୂରେ
ନୀଳ ଆକାଶ ତଳେ
କଳା ପାହାଡ଼ ସମ
ଘନ ଅନ୍ଧକାର…
ସେ ପାହାଡ଼ ଲଙ୍ଘି
ଉଡିିବାକୁ ହେବ ତୋତେ ଆଜି
ଖୋଜିବାକୁ ପୁଣି ଥରେ
ତୋ ମନର ମୁକ୍ତ ବିହଙ୍ଗ ।
Ratira Pratikshya (ରାତିର ପ୍ରତିକ୍ଷା)
ରାତିର ଅନ୍ଧକାର ଲେଉଟିଲେ,
ସାଥେ ଆଣେ ଗଭୀର ଶୂନ୍ୟତା
ଶୂନ୍ୟତାର ଢେଉ ତଳେ ଉଙ୍କି ମାରେ
ମୋ ମନର ଅସରନ୍ତି ପ୍ରଶ୍ନମାଳ ।
ହେଲେ ସାଉଁଟି ଆଣେ ସେସବୁ
ଚେତନାର ଆଞ୍ଜୁଳାରେ,
ପୁଣି ଥରେ ଖୋଜି ପାଇବା ପାଇଁ
କିଛିଟା ସମ୍ଭାବ୍ୟ ଉତ୍ତର ।
ନୀଳ ଆକାଶର ଆଲୋକ ଛିଟାରେ
ରାତିର ଅନ୍ଧକାର ହୁଏ ଆଲୋକିତ
ହେଲେ ପଛେ ଛାଡିଯାଏ
ଶୂନ୍ୟତା-ପ୍ରଶ୍ନମାଳ-ସମ୍ଭାବ୍ୟ ଉତ୍ତର ।
କେବଳ ଆଉ ଏକ
ରାତିର ପ୍ରତିକ୍ଷାରେ…
Ahsa (ଆଶା)
ଅଣଓସାରିଆ ରାସ୍ତାଟିର ପଥିକ ମୁଁ ସାଜିଛି
ତା ଦିଗବଳୟ ଲଙ୍ଘିଯିବାର ଆଶା ଯେ ମୁଁ ବାନ୍ଧିଛି
ଆଶା ନୁହେଁ, ତାହା ଏକ ମରୀଚିକା ।
ଆଶା ପାଇବାର, ଆଉ ଏକ ମଣିଷ ତ
ପୁଣି କେବେ ସମାଜର ସ୍ବିକୃତି
ଆଶା ଖୋଜି ପାଇବାର, ହଜିଲା ପରିଚୟ ତ
ପୁଣି କେବେ ନିଜେ ନିଜକୁ ।
ଦିଗବଳୟେ ଆଜି ତାରାଟି ଯାଇଛି ଅସ୍ତ
ହେଲେ ମୋ ଆଶାର ପରିସୀମା ହୋଇଛି ଆହୁରି ପ୍ରଶସ୍ତ
ଆଶା ନୁହେଁ, ତାହା ଏକ ମରୀଚିକା ।
Chaddi Asichi Tamaku (ଛାଡି ଆସିଛି ତମକୁ…)
ସ୍ମୃତିର ଅଜଣା ପ୍ରାନ୍ତେ
ଚେତନାର ଦୂର ଦିଗବଳୟେ
ସମୟର କେଉଁ ଏକ ଅନୁକୋଣେ
ମୁଁ ଛାଡି ଆସିଛି ତମକୁ…
ଅନୁଭବିଛି ତୁମ ମନର ଶୂନ୍ୟତା
ମୋତେ ପାଶୋରି ଦେବାର ବ୍ୟର୍ଥ ପ୍ରଚେଷ୍ଟା
ପୁଣି କେବେ ଫେରି ପାଇବାର ଅସରନ୍ତି ପ୍ରତୀକ୍ଷା
ହେଲେ ମୁଁ ଛାଡି ଆସିଛି ତମକୁ…
ପୂରୁବ ଆକାଶେ ସୂରୁଜ ଆସୁଛି ଉଇଁ
ନୂଆ ସକାଳର ନୂତନ ପ୍ରତିଶ୍ରୁତି ନେଇ
ଫେରିଯିିବାକୁ ହେବ ଆଜି ତୁମକୁ
ଜୀବନର ଏହି ବାସ୍ତବତାକୁ…
ମୋ ଜୀବନ ସଂଘର୍ଷର ଆଜି ହୋଇଛି ଅନ୍ତ
ହେଲେ ତୁମକୁ ଲଭି ପାଇଛି ବିଜୟ
ତୁମ ସାଥେ ତୋଳିଥିଲି ଏକ ସୁନାର ବୋଇତ
ସେ ବୋଇତରେ ଭାସିଯିବି ମୁଁ…
ସ୍ମୃତିର ଅଜଣା ପ୍ରାନ୍ତକୁ
ଚେତନାର ଦୂର ଦିଗବଳୟକୁ
ସମୟର କେଉଁ ଏକ ଅନୁକୋଣକୁ ।
Puruna Smruti (ପୁରୁଣା ସ୍ମୃତି)
କିଛିଟା ପୁରୁଣା ସ୍ମୃତି
ଶୀତ ସକାଳର କାକର ତଳେ ଓଢା,
ଆଉ କିଛିଟା ଅଭୂଲା ଅନୁଭୂତି…
ତୋ ସାଥେ ବାଣ୍ଟିଛି,
ଥଟ୍ଟା ମଜାର କେତେ ଯେ ଗୁମର କଥା
ପୁଣି କେବେ ରାଗ ଅଭିମାନର ଛଳନା
କେବେ ବଞ୍ଚିବାର ନୂତନ ପ୍ରେରଣା
ତ ଭବିଷ୍ୟତ ଗଢିବାର
ଆଉ ଏକ ନୂଆ ଯୋଜନା ।
ସମୟ ଯାଉଛି ବହି
ବାସ୍ତବତାର ନାଆଟିକୁ ଆଗକୁ ନେଇ
ତା କୂଳେ ଲାଗିଛି ସ୍ମୃତିର ଲମ୍ବା ପଟୁଆର…
ସେଇଠି ଭାସୁଅଛି ମୋର
କିଛିଟା ପୁରୁଣା ସ୍ମୃତି
ତୋ ସାଙ୍ଗେ କଟାଇଥିବା,
ଆଉ କିଛିଟା ଅଭୂଲା ଅନୁଭୂତି…